କୋଟିଆରେ ଫସର ଫାଟିଲା ଆନ୍ଧ୍ରର ଚାଲ
ହାଇଦ୍ରାବାଦ (ଟୁଡେ ଓଡିଶା ବ୍ୟୁରୋ) : କୋରାପୁଟ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। କୌଣସି ମତେ ଆନ୍ଧ୍ର ଏହାକୁ କୋରାପୁଟଠାରୁ ଛଡେଇ ନେଇ ପାରିବ ନାହିଁ। ଯଦିବା ଲୋକଙ୍କୁ ଲୋଭ ଦେଖାଉଛି, କିନ୍ତୁ ଏହା ସବୁଦିନ ରହିବନି। ଏଥି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କୋରାପୁଟିଆ ରାଜନେତା। ଦଳ ମତ ନିର୍ବିଶେଷରେ ଏକାଠି ହୋଇ ମା ମାଟି ପାଇଁ ଆନ୍ଧ୍ର ବିରୋଧରେ ଲଢେଇ କରିବାକୁ ନିଜକୁ ପ୍ରସ୍ତୁତ କରିଛନ୍ତି।
ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଆଜି କୋଟିଆ ପାଇଁ ମଙ୍ଗ ଭିଡିଛନ୍ତି ବିଜେଡି, କଂଗ୍ରେସ, ବିଜେପି ସହ ସ୍ତାନୀୟ ସମାଜସେବୀ। ଫୋର୍ସ ପୁରାଇ ଆନ୍ଧ୍ର ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରେଇ ନେବା ପରେ ଚଳିତ ମାସ ୮ ତାରିଖରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞାପ୍ତି ପ୍ରକାଶ କରିଛି। ଏଥିରେ କୋଟିଆର ତିନିଟି ଗାଁରେ ନିର୍ବାଚନ କରିବାକୁ ମଧ୍ୟ ବିଜ୍ଞାପ୍ତି ଜାରି ହୋଇଛି। କୋଟିଆରେ ନିର୍ବାଚନ ନେଇ ଓଡ଼ିଶା ସରକାର ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଏନେଇ ଆସନ୍ତା ୯ ତାରିଖରେ ଶୁଣାଣି ରହିଛି।
ଏହାର ଦିନକେଇଟା ପୂର୍ବରୁ ଆଉ ଏକ ନିର୍ବାଚନ କରେଇ ନେବାକୁ ଆନ୍ଧ୍ର ମସୁଧା କରୁଥିବାରୁ କୋରାପୁଟିଆ ନେତା ଏକାଠି ହୋଇଛନ୍ତି। ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢୀ, ଲକ୍ଷ୍ମୀ ପୁର ବିଧାୟକ ପ୍ରଭୁ ଜାନି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କ୍ରିଶାନି, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପରିଡା, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ, ଇନ୍ଦିରା ନନ୍ଦ, ଗୌତମ ସାମନ୍ତରାୟ, ମୁନା ରଥ, ବାଲା ରାୟଙ୍ ସହ ବହୁ ନେତା ଓ ସମାଜସେବୀ ଉପସ୍ଥିତ ରହିଥିଲେ।
ତେବେ କୋଟିଆ ଗ୍ରାମପୁଞ୍ଜରେ ରହିଥିବା ଆନ୍ଧ୍ରର ଦଲାଲଙ୍କୁ ପ୍ରଥମେ ସାବାଡ କରିବାକୁ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଅନୁରୋଧ କରାଯାଇଛି। ମାଉସୀଠୁ ପଇସା ଖାଇ ମା ଅଣ୍ଟିରେ ଛୁରୀ ଗେଞ୍ଜୁଥିବା ଏହି ବିଶ୍ବାସଘାତକଙ୍କୁ ଥାନାରେ ଆଣି ଅଟକ ରଖାଯିବାକୁ ପୁଲିସକୁ ନିବେଦନ କରାଯାଇଛି। ଏହାସହ ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଛି। ଏହାସହ ମତଦାନର ଦିନକ ପୂର୍ବରୁ ସେଠାରେ ରାତ୍ରୀ ରହଣି କରିବେ କୋରାପୁଟିଆ ନେତା ଓ ସମାଜସେବୀ। ଭୋଟ ଦିନ ଦୁଇ ଭାଗ ହୋଇ ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ନେତାଏ ରହି ଆନ୍ଧ୍ରର ଚାଲକୁ ପଣ୍ଡ କରିବେ ବୋଲି ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଛି।
ଏନେଇ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ଆନ୍ଧ୍ରର ଦାଲାଲଙ୍କୁ ବାନ୍ଧି ଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ଏହିମାନେ ଓଡ଼ିଶାରେ ରହି ପଢିଶାର ଗାଉଥିବାରୁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେଲେ ସବୁ ଠିକ ହୋଇଯିବ ବୋଲି ସେ କହିଛନ୍ତି। ଏନେଇ ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ କହିଛନ୍ତି ଯେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ସୂଚନା ଦିଆଯିବ। ବୈଠକରେ ଉପସ୍ଥିତ ଥିବା ନେତାଏ ଯାହା ନିଷ୍ପତ୍ତି ନେବେ ତାହାକୁ ପାଳନ କରିବୁ। ଆନ୍ଧ୍ରର ନିର୍ବାଚନ ଉଦ୍ୟମକୁ ପଣ୍ଡ କରିବୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ହାଇକୋର୍ଟ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନକୁ ସ୍ଥଗିତ କରିଥିବାରୁ ସବୁ ନେତା କୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଟିକେ ଆଶ୍ବସ୍ଥି ଲାଭ କରିଛନ୍ତି।