ନିର୍ବାଚିତ ସରକାରଙ୍କର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଟୁଡେ ଓଡିଶା ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଜାତୀୟ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିବା ସହ ନିର୍ବାଚନୀ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପରାମର୍ଶ ଦେଇଥିଲେ।
ନିର୍ବାଚିତ ସରକାରଙ୍କର ପ୍ରତି କାମକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି। ଏବେ ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି। ନିର୍ବାଚିତ ସରକାରଙ୍କୁ ଠିକ୍ ରୂପେ କାମ କରିବାକୁ ଦିଆଯାଉ ନାହିଁ। ଏସବୁ ଦେଶର ଶାନ୍ତି ଏବଂ ବିକାଶରେ ବଡ଼ ବାଧକ। ଶୁକ୍ରବାର ନିତି ଆୟୋଗ ବୈଠକରେ ବକ୍ତବ୍ୟ ରଖି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ରେଲୱେ, ଟେଲିକମ, ବ୍ୟାଙ୍କିଂ ଆଦି କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଦିନକୁ ଦିନ ହ୍ରାସ ପାଉଛି। ତେଣୁ ସେସବୁକୁ ବୃଦ୍ଧି କରାଯାଉ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ସହ ଓଡ଼ିଶାର କିଛି ଭାଷାକୁ ସମ୍ଵିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ।