କଟକ ନେତାଜୀ ବସ ଟର୍ମିନାଲ କାର୍ଯ୍ୟ ପାଇଁ ସମସ୍ତ ୧୨ ଏକର ସରକାରୀ ଜମି
କଟକ/ବାଦାମବାଡ଼ି (ଟୁଡେ ଓଡିଶା ବ୍ୟୁରୋ) : ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲ କାର୍ଯ୍ଯ ପାଇଁ ଆବଶ୍ୟକ ଥିବା ୧୨ ଏକର ସରକାରୀ ଜମି ବର୍ତ୍ତମାନ ପ୍ରଶାସନ ପାଖରେ ଉପଲବ୍ଧ ହୋଇସାରିଛି ଏବଂ ଅବରୋଧ ଥିବା ସରକାରୀ ଜମିକୁ ମଧ୍ୟ ମୁକ୍ତ କରାଯାଇ ଏହି ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ଓ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଉପଲବ୍ଧ ହେଉଛି ବୋଲି ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ବସ ଟର୍ମିନାଲ ପ୍ରକଳ୍ପ କାର୍ଯ୍ୟ ବହୁ ଅଗ୍ରଗତିରେ ଚାଲିଥିବା ନେଇ ସୂଚନା ଦେବା ସହ ସେଠାକାର ସ୍ଥାନୀୟ ଲୋକମାନଙ୍କର ଏଥିପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସେଠାରେ ଥିବା ବୈଷ୍ଣବ ପାଣି ପାର୍କର ସମ୍ପ୍ରସାରଣ ଓ ଉନ୍ନତିକରଣ କରାଯିବ, ବିଶ୍ୱନାଥ ପାଠାଗାରକୁ ପରମାନେଣ୍ଟ ଷ୍ଟେଟ ଅଫ ଦି ଆର୍ଟରେ ଗଢ଼ାଯିବା ଓ ଟର୍ମିନାଲ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ମୋଦି ଟ୍ରଷ୍ଟଙ୍କ ଅଧୀନରେ ଥିବା ୧ଏକର ୬୧୭ ଡ଼ିସିମିଲ ସରକାରୀ ଜମିକୁ ଏହି ପ୍ରକଳ୍ପ ପାଇଁ ପ୍ରଶାସନ ଅଧିଗ୍ରହଣ ଗ୍ରହଣ କରିପାରିଛି ଏବଂ ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର କର୍ମକର୍ତ୍ତାମନେ ଆଜି ଜିଲ୍ଳାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ବସ ଟର୍ମିନାଲ ନିର୍ମାଣ ନିମନ୍ତେ ଜମି ହସ୍ତାନ୍ତର ସହ ସମସ୍ତ ସହଯୋଗ କରିବେ ବୋଲି ଜଣାଇଥିବାର ଜିଲ୍ଳାପାଳ ଗଣ ମାଧ୍ୟମକୁ ସୂଚନା ଦେବା ସହ ଓବିସିସି ଏବଂ ପୂର୍ତ୍ତ ବିଭାଗ ସମସ୍ତ ନିର୍ମାଣ କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିସାରିଛି ବୋଲି କହିଥିଲେ। ଏହି ସୂଚନା ପ୍ରଦାନ କରିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଦର ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଅଫିସର ମାନେ ଉପସ୍ଥିତ ଥିଲେ l