କଡୀଙ୍ଗା ମାଳି ଖଣି ଖନନ ସମ୍ପର୍କରେ ହେବାକୁ ଥିବା ଜନଶୁଣାଣୀ କୁ ସମ୍ପୂର୍ଣବାତିଲ କରିବା ଦାବୀ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ (ମଦନ ମୋହନ ସାହୁ) : କୋରାପୁଟ ଓ ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା କଡୀଙ୍ଗା ମାଳି ଖଣି ଖନନ ୩ ହଜାର ମିଲିୟନ ଟନରୁ ବୃର୍ଦ୍ଧି କରି ୬ ହଜାର ମିଲିୟନ ଟନ କରିବା ନେଇ ଓଡିଶା ମାଇନିଂ କରପରେସନ ଦ୍ୱାରା ରାୟଗଡା ଓ କୋରାପୁଟ ଉଭୟ ଜିଲ୍ଲାରେ ଜନଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ନଭେମ୍ବର ୨୫ରେ ରାୟଗଡ଼ା ଜିଲ୍ଲାର ପୋଡ଼ାପାଡି ଠାରେ ହେବାକୁ ଥିବା ଜନଶୁଣାଣୀକୁ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବାତିଲ କରିଦେଇଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଂଚାୟତର ଧରଡା ଗ୍ରାମରେ ହେବାକୁ ଥିବା ଜନଶୁଣାଣୀ କୁ ବାତିଲ କରିନାହାନ୍ତି।
ତେଣୁ ଆଜି କଡୀଙ୍ଗାମାଳି ଖଣି ପାରିପାର୍ଶ୍ବିକ ଗ୍ରାମବାସୀ ଓ ପ୍ରକଳ୍ପ ପାଈଁ ଜମି ହରେଇଥିବା ଲୋକେ କୋରାପୁଟ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହ ନିଜ ଅଞ୍ଚଳରେ ଆଲୁମିନା ପ୍ରକଳ୍ପ ତିଆରି ପାଇଁ କହିବା ସହ ସେମାନେ କଞ୍ଚାମାଲ ଖୋଳି ବିକ୍ରିକୁ ବିରୋଧ କରୁଥିବା ଜଣାଇଥିଲେ। ଲୋକଙ୍କ କହିବା ହେଲା ଆମେ ଆମ ଅଞ୍ଚଳରେ ଆଲୁମିନା ପ୍ରକଳ୍ପକୁ ସ୍ୱାଗତ କରୁଛୁ, କିନ୍ତୁ ଖଣି ଖନନ କରି କଞ୍ଚାମାଲ ଅନ୍ୟତ୍ର ବିକ୍ରି କୁ ସବୁବେଳେ ବିରୋଧ କରିଛନ୍ତି ଓ ଆଗକୁ ମଧ୍ୟ ଖଣି ଖନନ କୁ ତୀବ୍ର ବିରୋଧ କରାଯିବ ବୋଲି କହିବା ସହ ସରକାର ଯଦି ଅଞ୍ଚଳ ବାସୀଙ୍କ ଦାବୀପ୍ରତି ଅଣଦେଖା କରନ୍ତି ତାହେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାରହିଁ ଦାୟୀ ରହିବେ ବୋଲି କହିଛନ୍ତି।
