ବିହାର ରାଜ୍ୟକୁ ଚାଲାଣ ବେଳେ ସେମିଳିଗୁଡ଼ା ପୋଲିସ ଦ୍ୱାରା ଗଂଜେଇ ଜବତ
କୋରାପୁଟ (ମଦନ ମୋହନ ସାହୁ) : କୋରାପୁଟ ଜିଲ୍ଲାର ପାଡୁଆରୁ ବିହାର ଅଭିମୁଖେ ଯାଉଥିବା ଏକ ଟ୍ରକରୁ ସେମିଳିଗୁଡା ପୋଲିସ ଗଂଜେଇ ଜବତ କରିଛି । ଟ୍ରକ ଡାଲାଟି ଖାଲି ଥିବା ବେଳେ ଟ୍ରକ ମଧ୍ୟରେ ନିର୍ମିତ ଏକ ସ୍ୱତନ୍ତ୍ର ବାକ୍ସ ମଧ୍ୟରେ ୧୧୪୫ କିଲୋ ଗଂଜେଇ ଭର୍ତି କରାଯାଇ ଚାଲାଣ କରାଯାଉଥିବା ସହ ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ଜଣାଇଛି । ଟ୍ରକ ସହ ଚାଲାଣ କାରୀଙ୍କୁ ଏସ୍କଟକରି ସାଥିରେ ନେଇଯାଉଥିବା ଏକ ଅଟୋରିକ୍ସା ମଧ୍ୟ ଜବତ ହୋଇଛି । ଏଥି ସହିତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ବିହାର ଓ ଝାଡ଼ଖଣ୍ଡ ବାସୀ ହୋଇଥିବା ବେଳେ ଜଣେ କୋରାପୁଟ ଜିଲ୍ଲାର ପାଡୁଆ ବାସିନ୍ଦା ବୋଲି ଜଣାପଡିଛି । ପୋଲିସର ଆଖିରେ ଧୂଳିଦେବା ପାଇଁ ଟ୍ରକରେ ଦୁଇଟି ଭିନ୍ନ ଭିନ୍ନ ନମ୍ବର ବ୍ୟବହାର କରାଯାଉଥିବା ନେଇ ସେମିଳିଗୁଡା ଥାନା ପୋଲିସ ଅଧିକାରୀ ଜଣାଇଛନ୍ତି ।