ମାର୍ଚ୍ଚ ୨୮ରୁ ନାଇଟ୍ କର୍ଫ୍ୟୁ ଲାଗୁ
ମୁମ୍ବାଇ (ଟୁଡେ ଓଡିଶା ବ୍ୟୁରୋ) : ମହାରାଷ୍ଟ୍ରରେ ନିଦ ହଜାଇଛି କରୋନା ସଂକ୍ରମଣ। ଏହାକୁ ଆୟତ୍ତ କରିବା ପାଇଁ ସରକାର ପୁରା ରାଜ୍ୟରେ ରବିବାର ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ସୂଚନା ଅନୁଯାୟୀ, କର୍ଫ୍ୟୁ ସମୟରେ ଅତ୍ୟାବଶକୀୟ ସେବା ଜାରି ରହିବ । ବିନା କୌଣସି ଠୋସ୍ କାରଣରେ ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଏଥିସହ ଦିନରେ ମାସ୍କ ପିନ୍ଧି ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି । ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରିବାକୁ ଆମେ ଚାହୁଁନାହୁଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି । ସେହିପରି ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ମଲ୍, ମାର୍କେଟ, ସିନେମା ହଲ୍ ଆଦି ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ । ସେହିପରି ୫୦ରୁ ଅଧିକ ଲୋକ ବିବାହ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଏକ କଟକଣା ଜାରି କରିଛନ୍ତି। ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ଅଜିତ ଘୋଷଣା କରିଛନ୍ତି।