‘ଦେଶ ସେବା ପାଇଁ ମା’ ଙ୍କ ଠାରୁ ପାଇଛନ୍ତି ସଂସ୍କାର, ପିଲାଦିନରୁ ହିଁ ଚମକୁଥିଲେ ନରେନ୍ଦ୍ର’

ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି । ସାଧାରଣ ଚା’ ବାଲା ନରେନ୍ଦ୍ରରୁ ଆଜି ବିଶ୍ବର ଲୋକପ୍ରିୟ ଜନନେତା । ଜୀବନରେ ଅନେକ ସଂଘର୍ଷ କରି ଆଜି ଦେଶର ପ୍ରଧାନ ସେବକ ହୋଇପାରିଛନ୍ତି । ମୋଦିଙ୍କ ସଂଘର୍ଷର କାହାଣୀ ଅନେକଙ୍କୁ ପ୍ରେରଣା ଦିଏ । ପିଲା ଦିନରୁ ହିଁ ଦେଶ ସେବାର ସ୍ବପ୍ନ ଦେଖୁଥିବା ମୋଦି ବହୁ ଦୁଃଖ କଷ୍ଟ ସହି ଆଜି ନୂଆ ଭାରତର ବିଶ୍ବକର୍ମା ସାଜିଛନ୍ତି । ଆଜି ୭୧ ବର୍ଷରେ ପାଦ ଦେଇଛନ୍ତି ବିଶ୍ବର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ନରେନ୍ଦ୍ର । ଟ୍ରେନ୍‌ର ବଗିରେ ବୁଲି ବୁଲି ଚା’ ବିକ୍ରି କରିବା ଠାରୁ ଆରମ୍ଭ କରି ଆଜି ବିଶ୍ବର ବଡ ବଡ ନେତାଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ମୋଦିଙ୍କ ଭୂମିକା ପଛରେ ରହିଛି ମା’ ହୀରାବେନ୍‌ ମୋଦିଙ୍କ ସଂସ୍କାର, ପ୍ରେରଣା ଏବଂ ଆଶୀର୍ବାଦର ପାହାଡ ।

ମା’ଙ୍କ ଠାରୁ ପାଇଛନ୍ତି ସଂସ୍କାର

ନରେନ୍ଦ୍ର ମୋଦିଙ୍କର ନିଜ ମା’ଙ୍କ ପ୍ରତି ଗଭୀର ଭଲ ପାଇବା ଏବଂ ଆବେଗ ରହିଛି । ମା’ଙ୍କ ସଂସ୍କାର ହିଁ ତାଙ୍କ ଭିତରେ ଭରିଦେଇଛି ଅନୁଶାସନ ଏବଂ ସଚ୍ଚୋଟ ମନୋବୃତ୍ତି । ୨୦୦୧ରେ ସେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମା’ଙ୍କ ପାଖରେ ଆଶୀର୍ବାଦ ନେବା ପାଇଁ ଗଲେ ତାଙ୍କ ମା’ କହିଲେ, ମୋତେ ଜଣା ନାହିଁ ମୁଖ୍ୟମନ୍ତ୍ରୀ କ’ଣ କରନ୍ତି କିନ୍ତୁ ମୋତେ ପ୍ରତିଶ୍ରୁତି ଦେ, ତୁ କେବେ ଲାଞ୍ଚ ନେବୁନାହିଁ । ଏ ପାପ କେବେ କରିବୁ ନାହିଁ ।’ ନରେନ୍ଦ୍ର ମୋଦି ନିଜ ମା’ଙ୍କୁ କେବେ ନିରାଶ କରିନାହାନ୍ତି । ଅନେକ କାର୍ଯ୍ୟକ୍ରମରେ ତାଙ୍କ ମୁହଁରୁ ଏହି ଉକ୍ତି ସର୍ବଦା ଶୁଣିବାକୁ ମିଳିଥାଏ ‘ ମୁଁ ଲାଞ୍ଚ ନିଏ ନାହିଁ କି ଆଉ କାହାକୁ ଲାଞ୍ଚ ନେବାକୁ ଦେବି ନାହିଁ’ । ତାଙ୍କର ଏହି ବାକ୍ୟକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଡରିଥାଏ ଏବଂ ସାଧାରଣ ଜନତାଙ୍କ ପାଖରେ ସେ ପ୍ରିୟର ପ୍ରଧାନମନ୍ତ୍ରୀ । ପିଲାବେଳୁ ହିଁ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦେଶ ପାଇଁ ଉତ୍ସର୍ଗୀକୃତ ହେବାର ଜୋଶ୍‌ ଦେଖିବାକୁ ମିଳୁଥିଲା । ଦେଶ ପାଇଁ କିଛି କରିଯିବା ପାଇଁ ସେ ପିଲାବେଳୁ ନେଇଛନ୍ତି ଭୀଷ୍ମ ପ୍ରତିଜ୍ଞା । ୧୯୬୨ ଯୁଦ୍ଧ ସମୟରେ ସେନା ଯବାନମାନଙ୍କ ଜୋଶ୍‌ ଦେଖି ତାଙ୍କର ଏହି ଭାବନା ଆହୁରି ପ୍ରବଳ ହୋଇଚାଲିଲା । ମହେସାନା ରେଳ ଷ୍ଟେସନରେ ସୈନିକଙ୍କୁ ଚା’ ପିଆଇବା ସମୟରେ ସେ ପଣ କଲେ ଯେ ଏବେ ଏ ଜୀବନ ଦେଶ ପାଇଁ ସମର୍ପିତ । ଷ୍ଟେସନରେ ହିଁ ଦେଶର କୋଣ ଅନୁକୋଣର ଲୋକଙ୍କୁ ଚା’ ପିଆଇ ସେମାନଙ୍କ ସହ କଥାବାର୍ତ୍ତା ହୋଇ ତାଙ୍କୁ ଭାରତର ବିବିଧତାକୁ ଅନୁଭବ କରିବାର ମଉକା ମିଳିଲା । ପିଲାବେଳେ ଏନ୍‌ସିସି କ୍ୟାଡେଟ୍‌ ଭାବେ ବି ତାଙ୍କ ମଧ୍ୟରେ ଦେଶଭକ୍ତିର ଜଡ଼ ଆହୁରି ଗଭୀର ହୋଇଚାଲିଲା । ଯେତେବେଳେ ସମୟ ମିଳେ ମୋଦି ସ୍କୁଲ ଲାଇବ୍ରେରୀରେ ବସନ୍ତି । ମହାପୁରୁଷଙ୍କ ଜୀବନ ଗାଥା ପଢ଼ନ୍ତି । ସେମାନଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢ଼ନ୍ତି ଏବଂ ସେମାନଙ୍କ ମହାନ ବିଚାରକୁ ଆତ୍ମସାତ କରିବାକୁ ଚେଷ୍ଟା କରନ୍ତି । ଏହା ହିଁ ତାଙ୍କୁ ସଫଳତାର ପାହାଚ ଚଢ଼ିବା ପାଇଁ ଦେଇଛି ବଳ ଆଉ ସେ ପାଲଟିଛନ୍ତି ଭାରତର ରକ୍ଷକ ।

ଶୈଶବରୁ ଚମକୁଥିଲେ ନରେନ୍ଦ୍ର

ଶୈଶବ ଘରର ନିଅଁ ଭଳି । ନିଅଁ ଯେତେ ମଜଭୁତ ଘର ସେତିକି ଉପରକୁ ଯାଇପାରେ । ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାହାଣୀ କିଛି ଏହିପରି । ୮ ବର୍ଷ ବୟସରେ ସେ ସାହସର କୀର୍ତ୍ତି ଦେଖାଇଥିଲେ । ବାଳକ ନରେନ୍ଦ୍ର ମଗରମାଛ ଭରା ନଦୀରେ ପହଁରି ମନ୍ଦିରରେ ଧ୍ୱଜା ଉଡାଇଥିଲେ । ସେହି ନଦୀରୁ ଛୁଆ ମଗରମାଛକୁ ହାତରେ ଧରି ଘରକୁ ନେଇଯାଇଥଲେ, ଆଉ ମା’ ବୁଝାଇବା ପରେ ଯାଇ ତା’କୁ ଛାଡ଼ିଥିଲେ । ପିଲାବେଳୁ ଗାଁର ପଛୁଆ ଏବଂ ବଞ୍ଚିତ ବର୍ଗଙ୍କ ପାଇଁ ତାଙ୍କ ମନ ଆନ୍ଦୋଳିତ ହେଉଥିଲା । ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ସମାଜକୁ ଜାଗ୍ରତ କରିବା ପାଇଁ ବାଳକ ନରେନ୍ଦ୍ର ‘ପୀଲୁ ଫୁଲ’ ନାମକ ଏକ ନାଟକ ରଚନା କରିଥିଲେ । ପିଲାଦିନରୁ ନରେନ୍ଦ୍ର କୌଣସି କାମକୁ ଛୋଟ ବଡ଼ ବୋଲି ଭାବୁ ନ ଥିଲେ । ପିଲାବେଳେ ବଡ଼ନଗର ଷ୍ଟେସନରେ ପୂରା ନିଷ୍ଠାରେ ଚା’ ବିକୁଥିଲେ । ସେତେବେଳେ କାହାକୁ ଜଣାଥିଲା ଏ ବାଳକ ଆଗକୁ ଯାଇ ଦେଶର ପ୍ରଧାନମନ୍ତ୍ରୀ ହେବ । ସଚ୍ଚୋଟ ମନୋଭାବ ଏବଂ ନିଷ୍ଠା ହିଁ ତାଙ୍କର ରାସ୍ତାକୁ ଆଗକୁ ପ୍ରଶସ୍ତ କରିଚାଲିଲା ଏବଂ ସେ ପାଲଟିଲେ ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ । ଖାଲି ଦେଶ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଆଜି ତାଙ୍କର ଜୟଗାନ ଶୁଣିବାକୁ ମିଳୁଛି ।

Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *