ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ‘ବନକଲାଗି’ ବା ‘ଶ୍ରୀମୁଖ ସିଂହାର’
ପୁରୀ (ଅଜୟ କୁମାର ସାହୁ) : ବୁଧବାର ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ – ମାନଙ୍କ ‘ବନକ ଲାଗି’ ବା ‘ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହୋଇଅଛି । ଏହି ନୀତି ପାଳିଆ ଖୁଣ୍ଟିଆ, ଗରାବଡୁ, ପାଳିଆ -ପୁଷ୍ପାଳକ-୩, ଚାଙ୍ଗଡ଼ା ମେକାପ, ମୁଦୁଲି, ଦତ୍ତ ମହାପାତ୍ର-୩ ଓ ପୂଜାପଣ୍ଡା ସେବକ ମାନେ ଉପସ୍ଥିତ ରହି ଉକ୍ତ ନୀତି ସମ୍ପାଦନ କରିଥିଲେ ଆଜି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ରେ ସମ୍ପନ୍ନ ପରେ, ଭିତର ଶୋଧ, ମଙ୍ଗଳ ଆଳତି ପରେ, ପରବର୍ତ୍ତୀ ଦୈନଦିନ ନୀତି ବଢି ମହାପ୍ରଭୁଙ୍କ ମଧ୍ୟାନ ଧୂପ ଘ.୨.୨୦ ରେ ଶେଷ ହୋଇ, ଦଖିଣି ଘର ଭୋଗ ଘ.୩.୦୦ ବଢିଥିଲା। ଏହାପରେ ମହାପ୍ରଭୁଙ୍କ ୨ୟ ଭୋଗମଣ୍ଡପ ଘ.୩.୧୫ରେ ଶେଷ ହୋଇ, ପ୍ରସାଦ ବାହାରି ପାଣି ପଡିଥିଲା।
ମହାପ୍ରଭୁଙ୍କ ମଇଲମ ଅପରାହ୍ନ ଘ.୩.୨୫ରେ ବଢି, ତଡପ ଲାଗି ଘ.୩.୩୫, ଏବଂ ଦିବାପହୁଡ଼ ଆଳତି ନୀତି ଅପରାହ୍ନ ଘ.୩.୪୫ରେ ସମ୍ପନ୍ନ ପରେ ମହାପ୍ରଭୁଙ୍କ ବନକ ଲାଗି ପାଇଁ ବିଧିମତେ ପାଳିଆ ପଢ଼ିଆରୀ, ଜୟବିଜୟ ଦ୍ୱାର ବନ୍ଦ କରିଥିଲେ । ଏହାପରେ ୩ଜଣ ପାଳୁଆ ଦତ୍ତ ମହାପାତ୍ର ଘ.୩.୫୦ ମି.ରେ ବନକ ପେଡାରେ ବନକ ଧରି ବେହରଣ ଦ୍ୱାର ଦେଇ ଭିତରକୁ ଆସି ସିଂହାସନକୁ ଉଠିଥିଲେ। ଗରାବଡୁ ସେବକଙ୍କ ଠାରୁ ହାତୁଆଣି ନେଇ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର ଆରମ୍ଭ କରିଥିଲେ। ଏଥି ପୂର୍ବରୁ ମୁଦୁଲିଙ୍କଠାରୁ ଆବଶ୍ୟକ ତିନୋଟି ରୁପା ପିଙ୍ଗଣରେ କର୍ପୁର ଜଳ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ତିନି ଖଣ୍ଡ ଶ୍ରୀକାପଡା ନେଇଥିଲେ।
ମଝିବାଡରେ ବନକଲାଗି ସମୟରେ ପାଳିଆ ମେକାପ ଅଖଣ୍ଡଙ୍କ ଠାରୁ ବଇଠା ନେଇ ଦେଖାଇଥିଲେ। ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ସାରି ପାଳିଆ ଦତ୍ତ ମହାପାତ୍ରେ ସନ୍ଧ୍ୟା ଘ.୬.୩୦ରେ ସିଂହାସନରୁ ଓଲାହି ଆସିଥିଲେ। ଶ୍ରୀବିଗ୍ରହମାନଙ୍କ ଏହି ବନକଲାଗି ବା ଶ୍ରୀମୁଖ ସିଂହାର ସାରିବାକୁ ପାଳିଆ ଦତ୍ତ ମହାପାତ୍ର ମାନଙ୍କୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା। ବନକଲାଗି ବଢ଼ିଲାପରେ ପାଳିଆ ମେକାପ ସିଂହାସନ ଉପରକୁ ଉଠି ସିଂହାସନ ଧୋଇଥିଲେ। ଏହାପରେ ତିନି ପୂଜାପଣ୍ଡା ସାମନ୍ତେ ସିଂହାସନ ତଳେ ବସି ପଂଚାମୁର୍ତ୍ତରେ ମହାସ୍ନାନ କରିଥିଲେ, ତତ୍ପରେ ମହାସ୍ନାନ ପୂଜାଠା ହୋଇ, ମହାସ୍ନାନ ପୂଜା ଶେଷ ପରେ, ଗଭା ମଇଲମ ହୋଇ,ସନ୍ଧ୍ୟା ଆଳତି ବେଶ ହୋଇଥିଲେ। ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ହୋଇ, ସନ୍ଧ୍ୟା ଧୂପ, ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣିପଡିବାପରେ, ମହାପ୍ରଭୁଙ୍କ ମଇଲମ ହୋଇ, ଚନ୍ଦନଲାଗି ପରେ, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ଟୋପର ଲାହି ହୋଇ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ।