ସୁରୁଖୁରୁରେ ସରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, କି ପରୀ ଥିଲା ସମସ୍ତ କାର୍ଯ୍ୟ ଜାଣନ୍ତୁ

ପୁରୀ (ଟୁଡେ ଓଡ଼ିଶା ବ୍ୟୁରୋ) : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଗୁରୁବାର ରାତି ପ୍ରାୟ ୧୨ଟାରେ ରାତ୍ର ପହୁଡ଼ ପରେ ରାତି ୨ଟା ପରେ ନାଗାର୍ଜୁନ ବେଶ ନୀତିକାନ୍ତି ନିମନ୍ତେ ଦ୍ବାରଫିଟା ହୋଇଛି। ମହାପ୍ରଭୁଙ୍କ ପରେ ବେଶ ପୂର୍ବରୁ ଭିତରଶୋଧ, ମଙ୍ଗଳଆଳତି, ତଡ଼ପଲାଗି ଓ ଅବକାଶ ଆଦି ନୀତି ସଂପନ୍ନ କରାଯିବ। ଶ୍ରୀମନ୍ଦିରରେ ପ୍ରଥମଥର ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେବ ସମସ୍ତ ନୀତିକାନ୍ତି।
ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁଥିବାରୁ ଏହି ବେଶ ଦର୍ଶନ ପାଇଁ ଅନେକ ଆଶା ବାନ୍ଧିଛନ୍ତି। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ଏହି ବେଶ ଦର୍ଶନକୁ ବନ୍ଦ କରି ଦିଆଯାଇଛି। ପୂର୍ବରୁ ମହାପ୍ରଭୁଙ୍କୁ ୨୬ ନଭେମ୍ବର ୧୯୬୬, ୧୬ ନଭେମ୍ବର ୧୯୬୭, ୩ ନଭେମ୍ବର ୧୯୬୮, ୨୬ ନଭେମ୍ବର ୧୯୯୩ ଏବଂ ୧୬ ନଭେମ୍ବର ୧୯୯୪ରେ ଦାରୁବ୍ରହ୍ମଙ୍କୁ ଶ୍ରୀମନ୍ଦିର ରତ୍ନସିଂହାସନରେ ନାଗାର୍ଜୁନ ବେଶ କରାଯାଇଥିବା ଜଣାପଡିଛି।
ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବେଶ ଶେଷ ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ । ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ । ଜଗନ୍ନାଥ ଓ ବଳଭଦ୍ର ବୀର ବେଶରେ ସଜ୍ଜିତ ହୋଇଛନ୍ତି । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ଜଗାବଳିଆ ସଜ୍ଜିତ ହୋଇଛନ୍ତି । ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେଉଛି ହାଣ୍ଡିଆ ।
ତେବେ ଭୋର ୨ଟା ୪୫ରେ ଦ୍ୱାର ଫିଟା, ୩ଟା ୨୫ରେ ଭିତର ଶୋଧ, ଭୋର ୩ଟା ୩୫ରେ ମଙ୍ଗଳ ଆଳତୀ, ୩ଟା ୪୦ରେ ମଇଲମ , ଭୋର ୪ଟାରେ ତଡପ ଲାଗି ନୀତି ଅନୁଷ୍ଠିତ ହୋଇ ସାରିଛି। ୪ଟା ୧୦ରେ ଶ୍ରୀମନ୍ଦିରକୁ ବିଜେ ହେବା ସହ ୪ଟା ୩୫ରେ ଅବକାଶ ପୂଜା ଶେଷ ହୋଇଛି । ବଡ଼ ଠାକୁରଙ୍କ ନାଗାର୍ଜୁନ ବେଶ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ବୋଲି ଜଣାପଡ଼ିଛି। କିନ୍ତୁ ଚଳିତ ବର୍ଷ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।
